ଫୁଲବାଣୀ, କନ୍ଧମାଳ,ଓଡ଼ିଶା ତା,୨୯/୦୬/୨୦୨୬ରିଖ କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିରରେ ଜଗତ କରତା ଚଉବର୍ଗ ଦାତା ଶ୍ରୀ ଜଗନ୍ନାଥ ଙ୍କ ମହାସ୍ନାନ ଯାତ୍ରା ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଅଛି। ପ୍ରାତଃ ସମୟରୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ସାରି ମଙ୍ଗଳ ଆଳତୀ ପରେ ରତ୍ନସିଂହାସନ ରୁ ପଣ୍ଡା ସେବାକାରୀ ଙ୍କ ଗହଣ ରେ ବଡ଼ଠାକୁର ଶ୍ରୀବଳଭଦ୍ର,ମାତା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଚକ୍ରରାଜ ଶ୍ରୀସୁଦର୍ଶନ ପହଣ୍ଡି ହୋଇ ସ୍ନାନମଣ୍ଡପ କୁ ବିଜେ କରିଥିଲେ। ଭକ୍ତଙ୍କ ହରିବୋଲ ହୁଳହୁଳି ଘଣ୍ଟନାଦ,ଶଙ୍ଖନାଦ ରେ ପ୍ରକମ୍ପିତ ହେଉଥିଲା ଭକ୍ତିମୟ ପରିବେଶ।ପୁରୋହିତଙ୍କ ଦ୍ୱାରା ମଙ୍ଗଳମୟ ମହାପ୍ରଭୁଙ୍କ ଠାରେ ମନ୍ତ୍ରସ୍ନାନ ର ଦିବ୍ୟ ପରିବେଶ ଅତ୍ୟନ୍ତ ଅମୃତମୟ ଥିଲା।ବରଷ କୁ ଥରେ ମହାପ୍ରଭୁ ଙ୍କ ମହାସ୍ନାନ ନିମିତ୍ତ ୧୦୮ଜଳ କଳସୀ ରେ କର୍ପୂର,ଚନ୍ଦନ,କେଶର,ଚୁଆର ମିଶ୍ରଣରେ ସୁଗନ୍ଧିତ ହୁଏ ଓ ଅଭିମନ୍ତ୍ରିତ ହୁଏ।୧୦୮ ଜଳ କୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥ ଙ୍କ ପାଇଁ ୩୫,ବଳଭଦ୍ର ଙ୍କ ପାଇଁ ୩୩,ମାଁ ସୁଭଦ୍ରାଙ୍କ ପାଇଁ ୨୨,ପ୍ରଭୁ ସୁଦର୍ଶନଙ୍କ ପାଇଁ ୧୮ କୁମ୍ଭ ଜଳ ଦ୍ଵାରା ସ୍ନାନ କରାଯାଇଥିଲା।ଏହି ପବିତ୍ର ସ୍ନାନ ପୂର୍ଣ୍ଣିମା ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରବଳ ଥିଲା।ପରେ ପରେ ଗଜାନନ ବେଶ ରେ ସୁଶୋଭିତ ହୋଇ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭକ୍ତଗଣ ଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିର ର ପୁରୋହିତ ଶ୍ରୀ ବାଉରୀ ମିଶ୍ର ଏବଂ ଶ୍ରୀ ସନ୍ତୋଷ କରଙ୍କ ଯୋଗଦାନ ସହିତ କର୍ତ୍ତା ଭାବେ ଶ୍ରୀ ଅସୀମ ପ୍ରହରାଜ ଦାୟିତ୍ଵ ତୁଲାଇଥିଲେ। ଶ୍ରୀମନ୍ଦିର ର ପୂଜକ ତଥା ବଡ଼ପଣ୍ଡା ଶ୍ରୀ ଶଙ୍କର ପାଢ଼ୀ,ଶ୍ରୀ ସିଦ୍ଧେଶ୍ବର ଦାସଙ୍କ ସହିତ ସମସ୍ତ ବ୍ରାହ୍ମଣ,ପଣ୍ଡା ଓ ସେବାକାରୀ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ। କନ୍ଧମାଳ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମେନ୍ଦ୍ର ପ୍ରସାଦ,ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଭିକାରୀ ସାହୁ, ମନ୍ଦିର ସଭାପତି ଶ୍ରୀଯୁକ୍ତ ସୁନାଶିର ମହାପାତ୍ର,ସମ୍ପାଦକ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ମହାରଣା,ଶ୍ରୀ ଶରତକୁମାର ସାହୁ,ଶ୍ରୀଶଙ୍କର ବେହେରା, ବରିଷ୍ଠ ଆଇନଜୀବୀ ଶ୍ରୀବିଜୟ ମହାନ୍ତି,ଶ୍ରୀ ରଜତକୁମାର ମହାନ୍ତି,ଶ୍ରୀ ପ୍ରସନ୍ନ ବିଷୋୟୀ,ବରିଷ୍ଠ ସଙ୍ଗୀତକାର ଶ୍ରୀ ଶରତଚନ୍ଦ୍ର ପଟ୍ଟନାୟକ ଆଦି ମହାସ୍ନାନ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ଚରଣାରବିନ୍ଦ ରେ ନିଜକୁ ସମର୍ପିତ କରି ଭକ୍ତି ଅର୍ଘ୍ୟ ଢାଳି ଥିଲେ।କରୁଣାମୟ ଶ୍ରୀଜଗନ୍ନାଥଙ୍କ ଏହି ଦିବ୍ୟ ଦିବସ ଅବସରରେ ସନ୍ଧ୍ୟା ସମୟର ଦିବ୍ୟ ଆରତୀ ଦର୍ଶନ, ବଳିଆରଭୁଜ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଦର୍ଶନ ନିମିତ୍ତ ଅନେକାନେକ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।ଏହି ଦିବ୍ୟ ଭକ୍ତିସନ୍ଧ୍ୟା ରେ ଶ୍ରୀଜଗନ୍ନାଥଙ୍କ କୃପାରୁ ରାଜ୍ୟ ତଥା ଜାତୀୟସ୍ତରରେ ନୃତ୍ୟ-ସଙ୍ଗୀତ କଳା କୁ ପ୍ରତିପାଦିତ କରିପାରିଥିବା ନଟରାଜ କଳା ମନ୍ଦିର, ଫୁଲବାଣୀ,ଓଡ଼ିଶା ତରଫରୁ ସମର୍ପିତନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କୁନି କଳାକାର ଠୁ ଆରମ୍ଭ କରି ସମସ୍ତ ନୃତ୍ୟ ଶିଳ୍ପୀ ଓଡ଼ିଶୀ ଏବଂ ବିଭିନ୍ନ ଭକ୍ତି ସଙ୍ଗୀତ କୁ ନେଇ ଭାବମୟ ନୃତ୍ୟ ପରିବେଷଣ କରିଥିଲେ।ଅନୁଷ୍ଠାନର ବରିଷ୍ଠ ସଙ୍ଗୀତକାର,ଗୀତିକାର ରାଜ୍ୟ ତଥା ଜାତୀୟସ୍ତରରେ ଭକ୍ତି ସଙ୍ଗୀତ ଗାୟନ କରିଥିବା ଆକାଶବାଣୀ ଓ ଦୂରଦର୍ଶନ କଳାକାର ତଥା କନ୍ଧମାଳ ର ହିନ୍ଦୀ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଭାବଗ୍ରାହୀ ଭାବର ଠାକୁର ଭାବବିନୋଦିଆ ଶ୍ରୀଜଗନ୍ନାଥଙ୍କ ପଦକଞ୍ଜ ରେ ସମର୍ପିତ ହୋଇ ଭକ୍ତିଭାବଭରା ଭଜନ ପରିବେଷଣ କରିଥିଲେ। ସ୍ନାନପୂର୍ଣ୍ଣିମା ଅବସରରେ ନିଜସ୍ଵ ରଚନା ତଥା ସଙ୍ଗୀତ ରେ ସଜାଇ “ସ୍ନାହାନ ମଣ୍ଡପେ ଆଜି ନୀଳାଦ୍ରିବିହାରୀ ହରି” ଭଜନ ପରିବେଷଣ କରିବା ସହିତ “ଜୟ ଗଣେଶ ଦେବା”,”ଶ୍ରୀନାଥ ଜଗନ୍ନାଥ ଘୋଷ ରେ ମନ”,”ମାଧବ କୁଞ୍ଜବିହାରୀ” ଆଦି ଭଜନ ଏକାଧାରରେ ପରିବେଷଣ କରି ଭକ୍ତଙ୍କୁ ବିଭୋର କରିଥିଲେ।ତବଲା ସଙ୍ଗତ କରିଥିଲେ, ଶ୍ରୀ ଶଙ୍କର୍ଷଣ ସାହୁ,କଟକ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୁରୁଶ୍ରୀ ବିନୋଦଚନ୍ଦ୍ର ସାହୁ।ଭକ୍ତି ଭଜନ ପରିବେଶ ସହିତ ସ୍ନାନବେଦୀ ରେ ଘଣ୍ଟ ଶଙ୍ଖ ନାଦ ହରିବୋଲ ହୁଳହୁଳି ସହିତ ଭକ୍ତିମୟ ପରିବେଶ ଅତ୍ୟନ୍ତ ଦୁର୍ଲଭ ଥିଲା।ଦିବ୍ୟ ଦୁର୍ଲଭ ପରିବେଶ ଏବଂ ବିଶ୍ବମଙ୍ଗଳକାରକ ସ୍ନାନଯାତ୍ରା ର ଅନ୍ତିମ ପର୍ଯ୍ୟାୟ ରେ ବିଶ୍ୱନିୟନ୍ତା ଚତୁର୍ଦ୍ଧା ମୂରତିଙ୍କୁ ପୂଜାପଣ୍ଡା, ବ୍ରାହ୍ମଣ ଏବଂ ସମସ୍ତ ଭକ୍ତମାନଙ୍କ ଗହଣରେ ସ୍ନାନମଣ୍ଡପରୁ ଶ୍ରୀମନ୍ଦିର ର ଅଣସର ଗୃହକୁ ପ୍ରତ୍ୟାବର୍ତନ କରାଯାଇଥିଲା ଏବଂ ଶେଷରେ ସମସ୍ତ ଭକ୍ତବୃନ୍ଦ ମହାବାହୁ ମହାପ୍ରଭୁ ଙ୍କ ଠାରେ କୃପାଭିକ୍ଷା ଲାଭ କରି ମହାପ୍ରସାଦ ସେବନପୂର୍ବକ ନିଜକୁ ଧନ୍ୟ ମଣିଥିଲେ।
ଫୁଲବାଣୀ, କନ୍ଧମାଳ,ଓଡ଼ିଶା 


