ଫୁଲବାଣୀ ୦୮/୦୭/୨୫ : ସମଗ୍ର ବିଶ୍ୱର ଅଧିପତି ପରଂବ୍ରହ୍ମ ସଚରାଚର ଜଗତର ଅଧିପତି ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ଚରଣ ରେ ଅନନ୍ତକୋଟି ପ୍ରଣାମ। ନାଦବିନ୍ଦୁ କାଳାତୀତ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ପରମାତ୍ମାଙ୍କ ମହିମା ଏହି ସଚରାଚର ପ୍ରାଣୀଜଗତଠାରୁ ବହୁ ଉର୍ଦ୍ଧ୍ବରେ।ଜଗତର ସାଇଁ, ପରମେଶ୍ୱର,ପରମଚୈତନ୍ୟ ଙ୍କ ଆମେ ଏକ ଅଂଶ ମାତ୍ର। ଆତ୍ମା ରଥୀ ଶରୀର ରଥ ବୁଦ୍ଧି ସାରଥୀ ଆଉ ମନ ହେଲା ଦଉଡ଼ି।ଯିଏ ମୂଳ ସଦା ସିଏ ବିନାଶ ରହିତ।ସିଏ ଅବିନାଶୀ। ରାସମୟ ରସିକେଶ ଶ୍ରୀ ଜଗଦୀଶ ଙ୍କୁ ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ ରେ ବର୍ଣ୍ଣନା ଅଛି ନୀଳାଚଳରେ ଦଶବର୍ଷ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ ଗୁଣ୍ଡିଚା ମଣ୍ଡପରେ ମାତ୍ର ଗୋଟିଏ ଦିନ ଦର୍ଶନ ରେ ସେତିକି ଫଳ ମିଳିଥାଏ।ପଦ୍ମପୁରାଣ ରେ ବର୍ଣିତ ଅଛି,ଗୁଣ୍ଡିଚା ମନ୍ଦିର ଶ୍ରୀଜଗନ୍ନାଥ ମହାପ୍ରଭୁ,ଶ୍ରୀ ବଳଭଦ୍ର ମହାବାହୁ ଓ ମାଁ ସୁଭଦ୍ରାଙ୍କୁ ଦର୍ଶନ କଲେ ଜୀବ ପରମ ପଦ ଲାଭ କରେ। ଏହି ଦିବ୍ୟ ରଥଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା,ପତିତପାବନ ମହୋତ୍ସବ,ଦଶାବତାର ଯାତ୍ରା, ଘୋଷଯାତ୍ରା,ମହାବେଦୀ ଯାତ୍ରା,ନବଦିନାତ୍ମକ ଯାତ୍ରା, ଆଦି ନାମରେ ନାମିତ।ଏହା ସହିତ ମହାପ୍ରଭୁଙ୍କ ଦିବ୍ୟ ବାହୁଡ଼ାଯାତ୍ରା,ସୁନାବେଶ,ଅଧରପଣା ରେ ଦିବ୍ୟ ଦର୍ଶନ ପୁଣି ନିଳାଦ୍ରି ବିଜେ ର ଦିବ୍ୟ ଭବ୍ୟ ଦର୍ଶନ ର ବିଶେଷ ମୁହୂର୍ତ୍ତ ଆମ ଜନ୍ମ ଜନ୍ମାନ୍ତର ପାଇଁ, ଭକ୍ତି ମୁକ୍ତି,ମୋକ୍ଷ ପ୍ରାପ୍ତି ପାଇଁ ଦିବ୍ୟ ଦର୍ଶନ ଏବଂ ଶ୍ରୀ ଜଗନ୍ନାଥଙ୍କ ଦୁନିଆ ଦାଣ୍ଡ ବଡ଼ଦାଣ୍ଡ ରେ ମହାମିଳନର ଦୃଶ୍ୟ ଦୁର୍ଲଭ ମାନବ ଜୀବନ ରେ ପ୍ରାରବ୍ଧ କର୍ମାନୁସାରେ ମିଳିଥାଏ। ଏଠାରେ ଦୁନିଆର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକ ଭବସିନ୍ଧୁ ପାରି ହେବା ନିମିତ୍ତ ଏକାଠି ହୋଇଥାଆନ୍ତି। ଏହି ଯାତ୍ରା ରେ ଶ୍ରୀ ଜଗନ୍ନାଥ ବଳଭଦ୍ର,ସୁଭଦ୍ରା,ସୁଦର୍ଶନ, ବାସୁଦେବ,ଜୟଦୁର୍ଗା, ଯୋଗମାୟା, ମଦନମୋହନ,ରାମ ଓ କୃଷ୍ଣ ଏହିପରି ଦଶମୂର୍ତ୍ତି ରଥାରୂଢ଼ ହୋଇଥାଆନ୍ତି।ଏଣୁ ଏହାକୁ ଦଶାବତାର ଯାତ୍ରା ବୋଲି ମଧ୍ୟ କୁହାଯାଏ। ଠାକୁର ଙ୍କ ନିତ୍ୟ ନୈମିତ୍ୟ ନିଳାଦ୍ରି ବିଜେ ପରେ ପରେ ଛପନ ଭୋଗ,ଷାଠିଏ ପଉଟି ଭୋଗ ଅର୍ଥାତ କୋଠଭୋଗ ଲାଗି ହୁଏ। ଯେଉଁଥିରେକି,ଠାକୁର ସାଧାରଣ ଭାବରେ ପଖାଳ ଖାଆନ୍ତି, କାଞ୍ଜି ମଧ୍ୟ ପିଅନ୍ତି।ଏମିତି ପ୍ରତ୍ୟହ ଭିନ୍ନ ଭିନ୍ନ ସମୟ ରେ ବିଭିନ୍ନ ପ୍ରକାର ର ଭୋଗ ଲାଗି ହୋଇଥାଏ। ଗୋପାଳବଲ୍ଲଭ ଭୋଗ,ସକାଳ ଧୂପ,ଭୋଗମଣ୍ଡପ ଭୋଗ,ମଧ୍ୟାହ୍ନ ଧୂପ,ସନ୍ଧ୍ୟା ଧୂପ,ବଡ଼ସିଂହାର ଧୂପ ଆଦି।୧୯୧୦ ବେଳକୁ ୪୩୫ ପ୍ରକାର ଦ୍ରବ୍ୟ ଭୋଗ କରାଯାଉଥିଲା। ଏ ସବୁ ପ୍ରକାର ରୀତି ନୀତି କୁ ବିଚାର କଲେ ଏକଦା ଓଡ଼ିଆ ଜାତି କେତେ ସୁନ୍ଦର ଐଶ୍ୱର୍ଯ୍ୟଶାଳୀ ବର୍ଣନା କରିହେବ ନାହିଁ। ଯେଉଁ ଜାତି ନିଜ ଦିଅଁ ପାଖରେ ଶତାଧିକ ଭୋଗ ନୈବେଦ୍ଯ ବାଢ଼ିପାରେ ସେ କେବେ ବି ଅବହେଳିତ ହୋଇପାରେ ନା।କେବଳ ଆମକୁ ତାଙ୍କର ଭକ୍ତି ର ସ୍ରୋତରେ ନିଜକୁ ଏକ ଏକ ସ୍ରୋତସ୍ଵିନୀ କରି ତାଙ୍କରି ଆଦର୍ଶ ରେ କର୍ମ କରିବାକୁ ହେବ। ଏହି ଛପନ ଭୋଗ ରେ ଅଧିକାଂଶ ଆମ ଓଡ଼ିଆ ଘର ର ଖାଦ୍ୟପେୟ ପିଠାପଣା ପ୍ରଚଳିତ। ସେହି ଜଗନ୍ନାଥ ଅନାଥର ନାଥ ଦୀନବନ୍ଧୁନାଥ ଆମ ସଭିଙ୍କ ରାଷ୍ଟ୍ରଦେବତା ଗଣଦେବତା ଏହା ଛପନ ଭୋଗ ବିଧି ରୁ ସୁନ୍ଦର ଭାବେ ଜଣାଯାଇଥାଏ। ତେବେ ଆସନ୍ତୁ ହେ ଭକ୍ତ ବୃନ୍ଦ
ଆଜିର ଏହି ଭକ୍ତ ଭଗବାନଙ୍କ ମହାମିଳନ ମହାପର୍ବ ଜଗନ୍ମୋହନ ଙ୍କ ରଥଯାତ୍ରା,ବାହୁଡ଼ାଯାତ୍ରା,ସୁନାବେଶ,ଅଧରପଣା,ନିଳାଦ୍ରିବିଜେ ଦିବ୍ୟ ଦର୍ଶନ ମହୋତ୍ସବ ରେ ନିଜକୁ ସମର୍ପିତ କରି ସେ ସୂର୍ଯ୍ୟ, ସେ ତେଜ,ଜଗତର ଅକ୍ଷୟ ପ୍ରକାଶ, ଅନ୍ଧକାରମୟ ଅନ୍ତରୀକ୍ଷ ମାର୍ଗ ରେ ଆସୁଥିବା ଦେବତା ମନୁଷ୍ୟ କୁ ସ୍ୱ ସ୍ୱ କାର୍ଯ୍ୟ ରେ ନିୟୋଜିତ କରୁଥିବା ଦିବ୍ୟ ନିର୍ମିତ ରଥ କୁ ଆରୋହଣ କରୁଥିବା ଜଗଦୀପ,ଜଗଦୀଶ, ଜଗତନାଥ,ଚକାନୟନ, ପତିତପାବନ,ପତିତ ଉଦ୍ଧାରକର୍ତ୍ତା ଆର୍ତ୍ତତ୍ରାଣ, ଜନମନରଞ୍ଜନ, ଭବଭୟଭଞ୍ଜନ ଜନଗଣ ର ଦେବତା ବିଶ୍ୱ ସମ୍ରାଟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସମଗ୍ର ପ୍ରାଣୀ ଜଗତକୁ କଲ୍ୟାଣ କରନ୍ତୁ ଏତିକି ମହାପ୍ରଭୁଙ୍କ କମଳ କୋମଳ ଚରଣ ରେ ନିତ୍ୟ ପ୍ରାର୍ଥନା ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଆଲେଖ୍ୟ- ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ
(ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର)
ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ,ଲାଇନପଡ଼ା, କନ୍ଧମାଳ,ଓଡ଼ିଶା।








